ଇଉରୋପୀୟ ଦେଶରେ ସେକେଣ୍ଡ ପିଛା ଜଣେ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ

ଜେନିଭା : କରୋନା ସଂକ୍ରମଣ ଆଶାତୀତ ଭାବେ ବଢ଼ିଚାଲିଛି । ବିଶେଷ ଭାବେ ଇଉରୋପୀୟ ଦେଶରେ ସ୍ଥିତି ଅଧିକ ଖରାପ ସ୍ତରକୁ ଚାଲିଯାଇଛି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଆଂଚଳିକ ନିର୍ଦ୍ଦେଶକ ହେନ୍ସ କ୍ଲୁଜ କହିଛନ୍ତି ଇଉରୋପୀୟ ଦେଶରେ ସେକେଣ୍ଡ ପିଛା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଉଛି । ସେ କହିଛନ୍ତି ଯେ, ଗତ ସପ୍ତାହରେ ଇଉରୋପରେ ୨୯ ହଜାରରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ଏଠାରେ ପ୍ରତି ୧୭ ସେକେଣ୍ଡରେ ଜଣେ ବ୍ୟକ୍ତି କୋଭିଡ-୧୯ରେ ପ୍ରାଣ ହାରୁଛି । ପୂରା ବିଶ୍ୱରେ ୨୮ ପ୍ରତିଶତ କରୋନା ସଂକ୍ରମିତ ଓ ମୃତ୍ୟୁ ହୋଇଛି ୨୬ ପ୍ରତିଶତ । 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀ କହିଛନ୍ତି, କୋଭିଡ-୧୯ କାରଣରୁ ମୃତ୍ୟୁ ବିଗତ ସପ୍ତାହରେ ୧୮ ପ୍ରତିଶତ ବଢ଼ିଛି । ଇଉରୋପ ସର୍ବାଧିକ ପ୍ରଭାବିତ ହୋଇଛି । ନିୟମିତ ଭାବେ ନୂଆଁ ଲୋକ ସଂକ୍ରମିତ ହେଉଛନ୍ତି । ତେଣୁ ନିଶ୍ଚିତ ଭାବେ କୁହାଯାଇପାରିବ, ଏହା ଚିନ୍ତାର ବିଷୟ । ରିପୋର୍ଟ ଅନୁସାରେ ସୁଇଜରଲ୍ୟାଣ୍ଡରେ ଥିବା ଆଇସିୟୁ ଗୁଡ଼ିକରେ ଆଉ ଖାଲି ନାହିଁ । ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ, ଆଂଶିକ ଲକଡାଉନ ହଟାଇବାର କୌଣସି ସମ୍ଭାବନା ନାହିଁ । ପର୍ତ୍ତୁଗାଲ ମଧ୍ୟ ଆହୁରି ୨ ସପ୍ତାହ ପାଇଁ ଲକଡାଉନ କରିବାକୁ ପ୍ରସ୍ତୁତ ହେଉଛି । 

ସେହିଭଳି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଆଂଶିକ ଲକଡାଉନ ଫେବୃଆରୀ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । କରୋନାର ୨ୟ ପ୍ରବାହ ଆରମ୍ଭ ହୋଇଯାଇଛି । ମୁକାବିଲା ଲାଗି ଠିକ ସମୟ ମଧ୍ୟରେ ଟିକା ଆସିବା ସମ୍ଭାବନା କମ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବିଭାଗର ନିର୍ଦ୍ଦେଶକ ମାଇକେଲ ରୟାନ କହିଛନ୍ତି ଯେ, ଟିକା ଆସିବାକୁ ଆହୁରି ସମୟ ଲାଗିବ । ୪ରୁ ୬ ମାସ ମଧ୍ୟରେ କିଛି ବି ସମ୍ଭବ ହୋଇପାରେ ।

Leave a Reply

Your email address will not be published. Required fields are marked *